Unknown

 

 

 

 

 

 

 

 

 

 

ଶ୍ରୀ ରାଧାଗୋବିନ୍ଦ ଚଉତିଶା

ବୈଷ୍ଣବଚରଣ ଦାସ ଗୋସ୍ୱାମୀ

 

କରମ ମୋହର ମନ୍ଦ । କଲି ନାହିଁ ସେବା ପଦାରବିନ୍ଦ ହେ,

ରାଧାଗୋବିନ୍ଦ । କୁବୁଦ୍ଧିରେ ହେଲି ଅନ୍ଧ ହେ ।୧।

ଖଟିବାକୁ ଶ୍ରୀଚରଣେ । ଖଳ ସଙ୍ଗ ମାଗୁନାହିଁ ମୁଁ କ୍ଷଣେ ହେ,

ରାଧାଗୋବିନ୍ଦ । ଖେଦ ନ ବଢ଼ାଅ ମନେ ହୋ ।୨।

ଗଉରବେ ଇଚ୍ଛା ନାହିଁ । ଗାମ୍ଭୀର୍ଯ୍ୟ ମାଧୁର୍ଯ୍ୟ ପ୍ରେମକୁ ଧ୍ୟାୟି ହେ,

ରାଧାଗୋବିନ୍ଦ । ଗଞ୍ଜଣା ସୁଖ ଲାଗଇ ହେ ।୩।

ଘନ ବିଜୁଳି ବରନ । ଘଟିଛି ଯେତେ ଯେତେ ଅପମାନ ହେ,

ରାଧାଗୋବିନ୍ଦ । ଘେନୁଛି କରି ଚନ୍ଦନ ହେ ।୪।

ଉପାସନା ତତ୍ତ୍ୱ ଲୋଡ଼ି । ଉଜ୍ଜ୍ୱଳ ରସରେ ଯିବାକୁ ବୁଡ଼ି ହେ,

ରାଧାଗୋବିନ୍ଦ । ଉଭା ମାତ୍ର କରଯୋଡ଼ି ହେ ।୫।

ଚିନ୍ତାମଣି କଳ୍ପତରୁ । ଚିକ୍‌କଣ ମଞ୍ଜୁଳ ବେଶ ସୁଚାରୁ ହେ,

ରାଧାଗୋବିନ୍ଦ । ଚାକିରୀରେ ଦିନ ସରୁ ହେ ।୬।

ଛନ୍ଦାଚରଣ ମୁରତି । ଛାମୁରେ ଏତିକି ମୋର ବିନତି ହେ,

ରାଧାଗୋବିନ୍ଦ । ଛଡ଼ାଅ ପାପ ଦୁର୍ଗତି ହେ ।୭।

ଜଞ୍ଜାଳ ଘେନ ନ ଘେନ । ଜୀବନ ବିକିଛି ଏ ଅକିଞ୍ଚନ ହେ,

ରାଧାଗୋବିନ୍ଦ । ଜପିବାକୁ ତବ ନାମ ହେ ।୮।

ଝାଡ଼ ବିନୋଦନକରୀ । ଝୁଲାଇବି ସତେ ଝୁଲଣ ଦୋଳି ହେ,

ରାଧାଗୋବିନ୍ଦ । ଝୁଲିରୂପ ଦେଖିକରି ହେ ।୯।

ନିନ୍ଦାକୁ କଲି ସଙ୍ଖାଳି । ନାଟର ଲମ୍ପଟ ପ୍ରେମସାଗରୀ ହେ,

ରାଧାଗୋବିନ୍ଦ । ନବାନୁରାଗକୁ ଭାଳି ହେ ।୧୦।

ଟାହି କଥା ଶୁଣି ତୋଷେ । ଟାକିଛି ଶ୍ରୀମୁଖ ତାମ୍ବୁଳ ଆଶେ ହେ,

ରାଧାଗୋବିନ୍ଦ । ଟଳିବି ନାହିଁ ମୁଁ ଲେଶେ ହେ ।୧୧।

ଠିକେ ଗୁରୁ ରୂପା ସଖୀ । ଠାରି ଚିହ୍ନାଇବେ କେବେ ଦୁହିଁଙ୍କି ହେ,

ରାଧାଗୋବିନ୍ଦ । ଠଣ ଶୋଭା ମୂରତିଙ୍କ ହେ ।୧୨।

ଡୋଳେ ଦେଖି ସ୍ମିତହାସ । ଡୁବି ଯାଉଥିବ ରସେ ମାନସ ହେ,

ରାଧାଗୋବିନ୍ଦ । ଡରି କରୁଥିବି ବେଶ ହେ ।୧୩।

ଢାଳି ମନ ପରାଣକୁ । ଢମାଳି ଗୀତରେ ନେବି ଦିନକୁ ହେ,

ରାଧାଗୋବିନ୍ଦ । ଢଳାଇଣ ନୟନକୁ ହେ ।୧୪।

ଅରୁଣ କୁଞ୍ଜ ସେବାରେ । ଅନୁସରି ଥିବି ରାତ୍ରି ଦିବାରେ ହେ,

ରାଧାଗୋବିନ୍ଦ । ଅଞ୍ଜଳିପୁଷ୍ପ ଦେବାରେ ହେ ।୧୫।

ତରୁଣୀ ତରୁଣ ଛବି । କୃପାରେ ଛାମୁରେ ତରକି ଥିବି ହେ,

ରାଧାଗୋବିନ୍ଦ । ତନ୍ମୟ ପ୍ରେମରେ ହେବି ହେ ।୧୬।

ଥରକୁ ଥର ଥୟରେ । ସ୍ଥଳ-କମଳ-ଗଞ୍ଜନ ପୟରେ ହେ,

ରାଧାଗୋବିନ୍ଦ । ଥାପିବି ଲକ୍ଷ୍ୟ ଲୟରେ ହେ ।୧୭।

ଦୟଣା ମଚୁଆ ମାଳେ । ଦେବି ଉପହାର ଦୁହିଁଙ୍କ ଗଳେ ହେ,

ରାଧାଗୋବିନ୍ଦ । ଦରଶନ କଲା କାଳେ ହେ ।୧୮।

ଧରି ଯୁଗଳ ଚରଣ । ଧୋଇବି ନୟନଜଳେ ଯେ ଦିନ ହେ,

ରାଧାଗୋବିନ୍ଦ । ଧନ୍ୟ ମଣିବି ଜୀବନ ହେ ।୧୯।

ନୀଳ ପୀତ ଝୀନବାସ । ନିଭୃତେ କୁଞ୍ଚିବି ହୋଇ ଉଲ୍ଲାସ ହେ,

ରାଧାଗୋବିନ୍ଦ । ନିରେଖି ଯୁଗ୍ମ ବିଳାସ ହେ ।୨୦।

ପହଣ୍ଡ ମଣା ଚାକିରୀ-ପଣରେ ହୋଇବି ସତେ କିଙ୍କରୀ ହେ,

ରାଧାଗୋବିନ୍ଦ । ପଙ୍ଖା ଆଲଟକୁ ଧରି ହେ ।୨୧।

ଫୁଲ-ଶେଯ ଖଟ ଦୋଳି । ଫୁଲଣା ହୋଇ ସଜାଇବି ଭାଳି ହେ,

ରାଧାଗୋବିନ୍ଦ । ଫେଡ଼ିଛି କୁଳ-ଶିକୁଳି ହେ ।୨୨।

ବନମାଳା ବୈଜୟନ୍ତୀ । ବସି ଆନନ୍ଦରେ ଯତନେ ଗୁନ୍ଥି ହେ,

ରାଧାଗୋବିନ୍ଦ । କରିବାକୁ ଅଛି ଚିନ୍ତି ହେ ।୨୩।

ଭାବ ହାବ ଡୋଳା ଖେଳା । ଭଙ୍ଗିରେ ଇଙ୍ଗିତବାଣୀ ସଙ୍ଖୋଳା ହେ,

ରାଧାଗୋବିନ୍ଦ । ଭାବେ ହୋଇଥିବି ଭୋଳା ହେ ।୨୪।

ମହାଭାବ ସ୍ୱରୂପିଣୀ । ମଦନମୋହନ ଲାବଣ୍ୟ ଠାଣି ହେ,

ରାଧାଗୋବିନ୍ଦ । ମିଳାଇବି ସତେ ପୁଣି ହେ ।୨୫।

ଯମୁନାଜଳ ଘାଟରେ । ଯୁଗଳ ମୂରତି ଭେଟ ଲଟରେ ହେ,

ରାଧାଗୋବିନ୍ଦ । ଯିବି ମୁଁ ଛଟପଟରେ ହେ ।୨୬।

ରାସ ବିଳାସରେ ମଜ୍ଜି । ରାତ୍ରଦିବା ତୁମ୍ଭ ଳୀଳାକୁ ହେଜି ହେ,

ରାଧାଗୋବିନ୍ଦ । ରଖିବି ଦର୍ପଣ ମାଜି ହେ ।୨୭।

ଲାଜକୁ ଫିଙ୍ଗିଛି ଦୂରେ । ଲଳିତାକୁ ସଖୀଗଣ ସଙ୍ଗରେ ହେ,

ରାଧାଗୋବିନ୍ଦ । ଲେଖା ହେବ ନାମ ପରେ ହେ ।୨୮।

ବସନ୍ତ ଉତ୍ସବକାଳେ । ବଞ୍ଜୁଳ ମଞ୍ଜୁଳ ତମାଳମାଳେ ହେ,

ରାଧାଗୋବିନ୍ଦ । ବିହରିବି ସଖୀ ମେଳେ ହେ ।୨୯।

ଏ ଶରତ ଝୁଲଣ ବିଧି । ଶିଖିବି ଜଳକ୍ରୀଡ଼ା ବେଳ ସିଦ୍ଧି ହେ,

ରାଧାଗୋବିନ୍ଦ । ଶୁଭେ ଦିଶିବ ଏ ବୁଦ୍ଧି ହେ ।୩୦।

ଷୋଳସସ୍ର ଗୋପିକାଏ । ସୁମରି ହେବି ରାସବିନୋଦରେ ହେ,

ରାଧାଗୋବିନ୍ଦ । ସୂର୍ଯ୍ୟ ପୂଜା ସମୟରେ ହେ ।୩୧।

ସଂକୀର୍ତ୍ତନେ ହୋଇ ମତ୍ତ । ସଦ୍‌ଗୋଷ୍ଠୀରେ ଥିବି ମୁଁ ଅବିରତ ହେ,

ରାଧାଗୋବିନ୍ଦ । ସ୍ୱକରୁଣା କର ଦତ୍ତ ହେ ।୩୨।

ହସି ଏହି ଆଜ୍ଞା ହେଉ । ହରିବୋଲ ବୋଲି ଏ ଜୀବ ଯାଉ ହେ,

ରାଧାଗୋବିନ୍ଦ । ହୃଦେ ତବ ନାମ ଥାଉ ହେ ।୩୩।

କ୍ଷମାନିଧି ରାହା ଧରି । ଖିଆଲେ ଭାସେ ବିନୋଦ ମଞ୍ଜରୀ ହେ,

ରାଧାଗୋବିନ୍ଦ । କ୍ଷମେ ନିଅ ବ୍ରଜପୁରୀ ହେ ।୩୪।

Image